ସ୍ଥାନୀୟ ବିଭିନ୍ନ ସମସ୍ୟା ନେଇ ବେଦାନ୍ତ ଗେଟ ଆଗରେ ଧାରଣା ଦେଲେ ବୁଣ୍ଡେଲ ଓ ଛତ୍ରପୁର ଗ୍ରାମବାସୀ

Sep 24, 2024 - 06:13
 0  22
ସ୍ଥାନୀୟ ବିଭିନ୍ନ ସମସ୍ୟା ନେଇ ବେଦାନ୍ତ ଗେଟ ଆଗରେ ଧାରଣା ଦେଲେ ବୁଣ୍ଡେଲ ଓ ଛତ୍ରପୁର ଗ୍ରାମବାସୀ

ସ୍ଥାନୀୟ ବିଭିନ୍ନ ସମସ୍ୟା ନେଇ ବେଦାନ୍ତ ଗେଟ ଆଗରେ ଧାରଣା ଦେଲେ ବୁଣ୍ଡେଲ ଓ ଛତ୍ରପୁର ଗ୍ରାମବାସୀ

ଲାଞ୍ଜିଗଡ,(ଶୁଭମ ବାର୍ତ୍ତା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସ୍ଥାପିତ ହୋଇ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀ ଅନେକ ଥର ଦାବି, ଅଭିଯୋଗ ଓ ଆନ୍ଦୋଳନ କଲେ ବି କୌଣସି ସମାଧାନ ବାହାରି ପାରୁନାହିଁ। ଏପରି ବିଭିନ୍ନ ସମସ୍ୟାକୁ ନେଇ ଆଜି ସକାଳୁ ୫ଟାରୁ ବେଦାନ୍ତ କମ୍ପାନୀର ପାର୍ଶ୍ଵରେ ଥିବା ବୁଣ୍ଡେଲ ଓ ଛତ୍ରପୁର ଯୁବଗୋଷ୍ଠୀ ଓ ଗ୍ରାମବାସୀ ବେଦାନ୍ତ ମୁଖ୍ୟ ଗେଟ ଆଗରେ ଧାରଣା ଦେଇ କମ୍ପାନୀ କର୍ମଚାରୀଙ୍କୁ କମ୍ପାନୀ ମଧ୍ୟରେ ପ୍ରବେଶ କରିବାକୁ ଦେଉନାହାନ୍ତି।ଯାହା ଫଳରେ ହଜାର ହଜାର ଶ୍ରମିକ ଗେଟ ସମ୍ମୁଖରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ର ବିଷାକ୍ତ ଓ ବିକିରଣଯୁକ୍ତ ତରଳ ବର୍ଜ୍ୟ ସଂଗୃହିତ ପ୍ରୋସେସ ୱାଟର ଲେକ ହୁଡ଼ା ଭାଙ୍ଗି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଏହି ଦୁର୍ଘଟଣାର ଏକ ସପ୍ତାହ ଉର୍ଦ୍ଧ୍ବ ସମୟ ବିତିସାରିଥିବାବେଳେ ଅଞ୍ଚଳର ଲୋକେ ଆଜି ବି ଅତ୍ୟନ୍ତ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। କମ୍ପାନୀ କର୍ତୃପକ୍ଷ ଘଟଣାଟିକୁ ଅତି ହାଲୁକା ଭାବେ ନେଇଥିବାବେଳେ ଲୋକଙ୍କୁ ବିପଦ ମୁହଁକୁ ଠେଲିଦେଇ ନୀରବଦ୍ରଷ୍ଟା ସାଜିଛନ୍ତି।ଏହା ବ୍ୟତୀତ ବୁଣ୍ଡେଲ ଗାଁ ଉପର ମୁଣ୍ଡରେ ବେଦାନ୍ତର କଷ୍ଟିକ ପୋଖରୀ ରେଡ଼ମଡ଼ ଆରଏମପି ରହିଥିବା ବେଳେ ସେଠାରୁ ବାହାରୁଥିବା କଷ୍ଟିକ ପାଣିକୁ ବୁଣ୍ଡେଲ ଗାଁ ପୋଖରୀରେ ଛାଡିବା ଦ୍ବାରା କେନାଲ ରେ ଯାଇ ବାରମ୍ବାର ଗାଁ ମଝିରେ ପ୍ରଭାବିତ ହେଉଛି।ଯାହା ଫଳରେ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି।ଯାହା ଫଳରେ ଶହ ଶହ ଏକର ଚାଷ ଜମି ମଧ୍ୟ ପ୍ରଭାବିତ ହେଉଛି।ସେହିପରି ଗତ ୯ ତାରିଖ ଶନିବାର ରାତିରେ ବେଦାନ୍ତର ପ୍ରୋସେସ ୱାଟର ଲେକ ବନ୍ଦଟି ଭାଗିଯିବା ଫଳରେ ୧୦୯ ଏକର ଚାଷ ଜମି ପ୍ରଭାବିତ ହେବା ସହିତ ବଂଶୀଧାରା ନଦୀରେ କଷ୍ଟିକ କାଦୁଅ ପାଣି ପ୍ରଭାବିତ ହେବା ଯୋଗୁଁ ହଜାର ହଜାର ସଂଖ୍ୟାରେ ଜଳଚର ପ୍ରାଣୀ ମୃତ୍ୟୁ ଘଟିଥିଲା।ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ବଂଶଧାରା ନଦୀ ପାର୍ଶ୍ଵରେ ଥିବା ଶତାଧିକ ଗ୍ରାମର ଲୋକେ ଏହି ବଂଶଧାରା ନଦୀ ଉପରେ ନିର୍ଭର କରୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ଏହାକୁ ନେଇ ବିଭିନ୍ନ ରାଜନୀତି ଓ ପ୍ରତିନିଧି ଦଳ ଗସ୍ତ କରି କ୍ଷତିପୂରଣ ଦାବି କରିଥିଲେ ମଧ୍ୟ କମ୍ପାନୀ ପ୍ରଭାବିତ ଅଞ୍ଚଳବାସୀଙ୍କ କଥା ଶୁଣିନଥିବା ଲୋକେ ପ୍ରକାଶ କରିଛନ୍ତି।ଏହା ବ୍ୟତୀତ ବଣ୍ଡେଲ ଗାଁ ଲୋକେ ଲାଞ୍ଜିଗଡ ବିଡିଓ , ତହସିଲଦାରଙ୍କୁ ଫୋନ କରି କହିବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ବେଦାନ୍ତ କମ୍ପାନୀର କର୍ମକର୍ତ୍ତାଙ୍କ ପାଦ ଗାଁରେ ପଡିନାହିଁ କି ତାଙ୍କର ଦୁଃଖ କଷ୍ଟ କିଏ ବୁଝିଲେ ନାହିଁ। ଓଲଟା ବେଦାନ୍ତର କର୍ମକର୍ତ୍ତା ଲୋକଙ୍କୁ ଧମକଚମକ ଦେବା ସହିତ ନାଲି ଆଖି ଦେଖାଉଛନ୍ତି। ଆଜି ବି ଅସରାଏ ବର୍ଷା ହେଲେ କମ୍ପାନୀରୁ ନିର୍ଗତ ବିଷାକ୍ତ କଷ୍ଟିକ ପାଣି ବାହାରି ଗାଁରେ ପଶୁଛି। ପାଣି ସଂସ୍ପର୍ଶରେ ଆସି ଲୋକେ ରୋଗାକ୍ରାନ୍ତ ହୋଇପଡ଼ୁଛନ୍ତି। ଯାହାକୁ ନେଇ ବଣ୍ଡେଲ ଗାଁ ସହିତ ଛତ୍ରପୁର ଗାଁ ଲୋକେ ଆଜି ସକାଳୁ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ। ଲାଞ୍ଜିଗଡ ପୁଲିସ ପକ୍ଷରୁ ଏସଆଇ ଲିଙ୍ଗରାଜ ସେଠୀ ଘଟଣାସ୍ଥଳରେ ପହଂଚିବା ସହିତ ବେଦାନ୍ତ କର୍ତ୍ତୃପକ୍ଷ ମଧ୍ୟ ଧାରଣାରତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟ ବୁଝାଇବା ପରେ ଗାଁକୁ କଷ୍ଟିକ ପାଣି ନଛାଡିବାକୁ କମ୍ପାନୀ କର୍ତୃପକ୍ଷ ପ୍ରତିଶୃତି ଦେବା ପରେ ଗାଁ ଲୋକେ ସକାଳ ୧୦:୩୦ ରେ ଧାରଣାରୁ ହଟିଥିଲେ। ତେବେ ପ୍ରତିଶୃତି ଦେଇ କମ୍ପାନୀ କର୍ତୃପକ୍ଷ ଠକିଦେଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଦୁଇ ଗୋଟି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

ଲାଞ୍ଜିଗଡ ରୁ ତୁଳସୀ ରାମ ପ୍ରଧାନୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow